Unknown

 

 

 

 

 

 

 

 

 

ଟିପାଖାତା

କବିବର ରାଧାନାଥ ରାୟ

 

ବ୍ରାହ୍ମୀତୀର

ସହକାର କୁଞ୍ଜମଣ୍ଡିତ, ଆମ୍ରମୁକୁଳ, ମଧୁଅଭ୍ୟକ୍ତ ପଲ୍ଲବପୁଞ୍ଜ । ମୁରାରିର ସ୍ମାରକ।

ଢେଙ୍କାନାଳ – ରାଜ-ଆତିଥେୟତା, ସ୍କୁଲର ଅବସ୍ଥିତି, ସିଆଡ଼ିଲତା, ବନମାଳୀବାବୁ, ଜାତକଦାର୍ଶନିକ, ତାହାଙ୍କର ବନ ମଧ୍ୟସ୍ଥ ଉଦ୍ୟାନ ଏବଂ କୃଷିକ୍ଷେତ୍ର। ଢେଙ୍କାନାଳ ପ୍ରାସାଦର ଦୃଶ୍ୟ ।

ତାଳଚେର ପ୍ରବେଶ

ତାଳଚେରରେ ଦୀର୍ଘ ଅବସ୍ଥିତି । ରାଜାଙ୍କର ଅସାଧାରଣ ସଦାଶୟତା ଏବଂ ଆତିଥେୟତା । ପ୍ରତ୍ୟହ ହସ୍ତିଦ୍ୱାରା ଅରଣ୍ୟ ପ୍ରଭୃତି ଭ୍ରମଣ । ଗଡ଼ର ସଂଲଗ୍ନ ରକ୍ଷିଣୀ । ଏ ରକ୍ଷିଣୀ ପ୍ରାୟ ୨ ବର୍ଗ ମାଇଲ । ନାନାବିଧ ଅନତିବୃଦ୍ଧ ତରୁରାଜିରେ ପୂର୍ଣ୍ଣ ଶାଳ, ଅଶନ, କିନ୍ଦୁକ, ତିଳକ, ପିଆଳ, ପୁଷ୍ପାଦିର ଶୋଭା। ପଲ୍ୱଳ ଏବଂ ତତ୍‌ସନ୍ନିହିତ ମୃଗୟାମଞ୍ଚ। ନାନାବିଧ ବନପଶୁଙ୍କର ପାଦଚିହ୍ନ । ରଗଡ଼ି ଏବଂ ଦ୍ରୋଣୀ ପ୍ରଭୃତି।

ତାଳଚେରର ରାଜସଭା । ସାହିତ୍ୟ ସଭା। ପଣ୍ଡିତ ହରିହର ବିଦ୍ୟାଭୂଷଣ, ଚିକିତ୍ସକ ତର୍କଭୂଷଣ ଏବଂ ଦୀକ୍ଷିତ, କବିଭୂଷଣ, ଭାଗୀରଥି ପଦ୍ୟାଳଙ୍କାର, ରଘୁନାଥ ମିଶ୍ର, ରାମଚନ୍ଦ୍ର ପଦ୍ୟବିନୋଦ, ହରିକୃଷ୍ଣ ବଡ଼ପଣ୍ଡା, ହେମେନ୍ଦ୍ରବାବୁ, ଦାମୋଦର ମିଶ୍ର ।

ରାଜକୁମାରଙ୍କ ଜନ୍ମଦିନୋତ୍ସବ

ବାମଣ୍ଡାର ବଡ଼କୁମାର ବଳଭଦ୍ର ଏବଂ ଲାଲସାହେବ ଦୟାନିଧିଙ୍କର ଶୁଭାଗମନ । ପଟ୍ଟାୟତବାବୁଙ୍କର ମୃଗୟାପଟୁତା ଏବଂ ଗଭୀର ସାହିତ୍ୟଜ୍ଞାନ । ତାହାଙ୍କଠାରୁ ଶିକ୍ଷାଲାଭ ।

 

ତାଳଚେର ରାଜାଙ୍କର ଗୁଣବର୍ଣ୍ଣନା ସହୃଦୟ, ନିରହଙ୍କାର, ସମସ୍ତ କ୍ଷତ୍ରିୟୟୋଚିତ ଗୁଣମଣ୍ଡିତ, ସାହିତ୍ୟରସିକ, ଆଇନଜ୍ଞାନରେ ଦକ୍ଷ । ସମସ୍ତ କାର୍ଯ୍ୟ ସ୍ୱହସ୍ତରେ ରକ୍ଷା ।

 

ରାଜାଙ୍କର ସଦ୍‌ଗୁଣର ଇୟତ୍ତା ନାହିଁ । ସମଗ୍ର ଓଡ଼ିଶା ଏହାଙ୍କୁ ଜାତୀୟସମିତିର ସଭାପତିପଦରେ ବରଣ କରିଥିଲା । ଏ ବରଣ ଅସ୍ଥାନନ୍ୟସ୍ତ ହୋଇନାହିଁ । ରାଜାଙ୍କର ସର୍ବତୋମୁଖ ଉତ୍କର୍ଷ ଦେଖି ମୁଁ ବାସ୍ତବିକ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲି । ରାଜ୍ୟ ମଧ୍ୟରେ ରାଜା ଉତ୍କୃଷ୍ଟତମ ଅମୋଘବେଧୀ ଶିକାରୀ, ଉତ୍କୃଷ୍ଟତମ ଆଧୋରଣ, ଉତ୍କୃଷ୍ଟତମ ଅଶ୍ୱବାର, ଉତ୍କୃଷ୍ଟତମ ରଥଚାଳକ ।

 

ନିଯୁକ୍ତହସ୍ତାର୍ପିତ ରାଜ୍ୟଭାରା

ସ୍ତିଷ୍ଠନ୍ତି ଯେ ସୌଧବିହାରସାରାଃ,

ବିଡ଼ାଳବୃନ୍ଦାର୍ପିତଦୁଗ୍‌ପୁରାଃ

ସ୍ୱପନ୍ତି ତେ ମୂଢ଼ଧିୟୋ ନରେନ୍ଦ୍ରାଃ ।

 

ତାଳଚେରରେ ଏ ଦୋଷର ସତ୍ତା ମାତ୍ର ନାହିଁ, ରାଜ୍ୟଶାସନର ପ୍ରତ୍ୟେକ ବିଭାଗ ଏବଂ ଉପବିଭାଗ ତାହାଙ୍କର ତୀକ୍ଷ୍‌ଣ ଅନ୍ତର୍ଭେଦୀ ଦୃଷ୍ଟିଦ୍ୱାରା ପ୍ରଭାବିତ ଏବଂ ପରିଚାଳିତ ।

 

ପ୍ରବୀଣ କୋଚମାନ୍‌ମାନେ ଯେଉଁ ତ୍ରସ୍ନୁ ଘୋଟକମାନଙ୍କୁ ଆୟତ୍ତ କରିବାକୁ ଅକ୍ଷମ, କିଶୋରଚନ୍ଦ୍ର ଅବଲୀଳାକ୍ରମରେ ସେମାନଙ୍କୁ ସାଧ୍ୟ କରିପାରନ୍ତି । ନେଲସନ୍‌ଙ୍କ ପରି ଭୟ କି ପଦାର୍ଥ ତାହା ସେ ଜାଣନ୍ତି ନାହିଁ ।

 

ମାତ୍ର ରାଜା ଏହି ସଦ୍‌ଗୁଣମାନଙ୍କର ସଂଯତ ବ୍ୟବହାର କରିଥିବାର ବୋଧ ହେଲା ନାହିଁ । ଥରେ ସେ ଗୋଟିଏ ଦୁଷ୍ଟ ଅଶ୍ୱ ଦ୍ୱାରା ଅତି ନିଦାରୁଣରୂପେ ଦୁଷ୍ଟ ହୋଇ ପ୍ରାୟ ୬ ମାସ କାଳ ଶଯ୍ୟାଶାୟୀ ହୋଇଥିଲେ । ମୃଗୟା ସମୟରେ ହାତୀରୁ ପଡ଼ି ତାହାଙ୍କ ବକ୍ଷସ୍ଥଳରେ ଦାରୁଣ ଆଘାତ ଲାଗିଥିଲା । ସେହି ଆଘାତର କୁଫଳରୁ ସେ ଅଦ୍ୟାପି ମୁକ୍ତ ହୋଇ ନାହାନ୍ତି । ଏହି କଠୋର ଶିକ୍ଷା ପାଇ ସୁଦ୍ଧା ସେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଉଦାସୀନ ।

 

ତାଳଚେରରୁ- ମସଲ ମୁଁ ପୂର୍ବେ ଦେଖିଥିଲି । ୧୦-୧୨ ବର୍ଷ ପରେ ପୁଣି ଦେଖିଲି । ଏହି ସମୟ ମଧ୍ୟରେ ସମଲରେ ଗୋଟିଏ ପକ୍‌କା ବଙ୍ଗଳା ନିର୍ମିତ ହୋଇଅଛି ଏବଂ ସମଲର ପ୍ରାୟ ୩-୪ ମାଇଲ ଦୂରରେ କହ୍ନେଇଜେନା ପର୍ବତ ପାଦରେ ଚକ୍ରଶୈଳ ନାମକ ସ୍ଥାନରେ ଗୋଟିଏ ବଙ୍ଗଳା ନିର୍ମିତ ହୋଇଅଛି ।

 

କହ୍ନେଇଜେନା ପର୍ବତ ଉଚ୍ଚତାରେ କ୍ଷୁଦ୍ର, ମାତ୍ର ଖୋଲମୟ ହୋଇଥିବାରୁ ମୃଗୟୁମାନଙ୍କର ଏହା ପ୍ରିୟତମ ବିହାରସ୍ଥଳୀ ।

 

ସମଲରୁ-ଗହମ-ବାରୁଆଁ ତାଳୁରେ ବଙ୍ଗଳା। ବୁଲାଝର ବଙ୍ଗଳା ।

 

ଗହମରୁ-ଖମାର ।

 

ତାଳଚେରରୁ ଆସିବା ସମୟରେ ତାଳଚେର ରାଜ୍ୟ ପରିଭ୍ରମଣ ମୋହୋର ଏକମାତ୍ର ଉଦ୍ଦେଶ୍ୟ ଥିଲା । ଯେବେ ସୁବିଧା ହୁଏ ଏବଂ ବାମଣ୍ଡାଧୀଶ୍ୱରଙ୍କଠାରୁ ଯେବେ ଅନୁକୂଳ ଆମନ୍ତ୍ରଣ ପାଏଁ, ବାମଣ୍ଡା ଯିବାର ସଂକଳ୍ପର ଅସ୍ପଷ୍ଟ ଛାୟା ମଧ୍ୟ ମନରେ ସ୍ଥାନ ପାଇ ଥିଲା । ମାତ୍ର ଲହଡ଼ା ଯିବାର ସଂକଳ୍ପ ମନରେ ଉଠିନାହିଁ। ଲହଡ଼ାର ମାଲ୍ୟଗିରି ଗୋଟିଏ ସ୍ୱାସ୍ଥ୍ୟନିବାସର ଯୋଗ୍ୟ ସ୍ଥାନ, ଏହା ପୂର୍ବରୁ ଶୁଣିଥିଲି, ମାତ୍ର ମାଲ୍ୟଗିରି ଅତି ଦୁରାରୋହ ଏବଂ ମାଲ୍ୟଗିରି ଶିଖରରେ ଅବସ୍ଥିତି- ବିଶେଷତଃ ମାଦୃଶ ରୁଗ୍‌ଣ ବ୍ୟକ୍ତିର ଅବସ୍ଥିତି ନିତାନ୍ତ ବ୍ୟବସାଧ୍ୟ। ସୁତରାଂ ଏ ସଂକଳ୍ପ ମୋହୋର ମନରେ ସ୍ଥାନ ପାଇନଥିବାର ସ୍ୱାଭାବିକ ।

 

ଲହଡ଼ା ରାଜ୍ୟର- ହୃଦୟବତ୍ତା । ନରପତିହିଁତକର୍ତ୍ତା ଦ୍ୱେଷ୍ୟତାଂ ଯାତି ଲୋକେ ଜନପଦହିତକର୍ତ୍ତା ତ୍ୟଜ୍ୟତେ ପାର୍ଥିବେନ । ଇତି ମହତି ବିରୋଧେ ବିଦ୍ୟମାନେ ସମାନେ ନୃପତିଜନପଦାନାଂ ଦୁର୍ଲଭଃ କାର୍ଯ୍ୟକର୍ତ୍ତା ।

 

ଲହଡ଼ାର ରାଜା ମୋହର ପୀଡ଼ାର କଥା ଶୁଣିଥିଲେ। ବହୁଦିନ ତାହାଙ୍କ ସହିତ ମୋହର ସାକ୍ଷାତ୍ ହୋଇ ନଥିଲା । ମୁଁ ଭ୍ରମଣକ୍ଷମ ଅବସ୍ଥାରେ ଅଛି, ସମ୍ଭବତଃ ଏହା ସେ ଜାଣିନଥିଲେ । ଜାଣିଥିଲେ ସେ ଯେପରି ସହୃଦୟ, ସ୍ୱତଃପ୍ରବୃତ୍ତ ହୋଇ ସେ ମୋତେ ଆମନ୍ତ୍ରଣ କରିଥାନ୍ତେ ଏବଂ ମୋହର ସ୍ୱାସ୍ଥ୍ୟୋନ୍ନତିର ବିଧାନ କରାଇଥାନ୍ତେ । ମୁଁ ତାଳଚେର ରାଜାଙ୍କ ଯତ୍ନରୁ ତାଳଚେର ପର୍ଯ୍ୟନ୍ତ ଆସିଛନ୍ତି, ଏକଥା ଶୁଣି ସେ ମୋତେ ମାଲ୍ୟଗିରି ନେଇଯିବାପାଇଁ ସ୍ୱୟଂ ତାଳଚେର ଯାତ୍ରାକଲେ । ମାତ୍ର ପଥ ମଧ୍ୟରେ ପୀଡ଼ାଗ୍ରସ୍ତ ହୋଇ ପତ୍ରଦ୍ୱାରା ସମସ୍ତ ବିଷୟ ଜଣାଇ ପୁନଃ ପୁନଃ ସନିର୍ବନ୍ଧ ଆମନ୍ତ୍ରଣ କଲେ । ଲହଡ଼ା ପ୍ରବେଶ ମାତ୍ରେ ମୁଁ ପଦେ ପଦେ ଲହଡ଼ାଧୀଶ୍ୱରଙ୍କର ଅସାଧାରଣ ମହାନୁଭବତାର ପ୍ରମାଣ ପ୍ରତ୍ୟକ୍ଷ କଲି । ଅବଧି ଏ ରାଜ୍ୟେ ପ୍ରାପ୍ତ ହୋଇ ନାହାନ୍ତି । ରାଜ୍ୟରେ ଏହାଙ୍କ କ୍ଷମତା ସୀମାବଦ୍ଧ, ଏହା ସତ୍ତ୍ୱେ ଲହଡ଼ାରେ ମୋହ ପ୍ରତି ଯେପରି ସୌଜନ୍ୟ ଏବଂ ସହୃଦୟତା ପ୍ରଦର୍ଶିତ ହୋଇଅଛି, ତାହାର ତୁଳନା ମୁଁ ସମସ୍ତ ଜୀବନରେ ଦେଖି ନାହିଁ । ରାଜା ନିଯୁକ୍ତ ଲୋକଙ୍କ ଉପରେ ସମସ୍ତ ଭାର ପକାଇ ନିଶ୍ଚିନ୍ତ ହୋଇନାହାନ୍ତି ।

 

ମାଲ୍ୟଗିରି

ଶୁଷ୍କଶିଉଳିଶୁଭ୍ର ପ୍ରକାଣ୍ଡ ପାଷାଣସ୍ତୂପ । ଅନେକ ସ୍ଥଳରେ ବିଶାଳ ଶିଳାପଟ ତଳେ ମନୁଷ୍ୟର ବାସୋପଯୋଗୀ ଗହ୍ୱର । ୩-୪ଟା ଭୀଷଣ କୋଟର ରାଜାଙ୍କ ସଙ୍ଗେ ଦର୍ଶନ । ରାଜାଙ୍କର କସ୍ତୁରିକା ଲଘୁଗତି । ଲଲଟନ ନେଇ ଏକ ଏକ ଦୁରବରୋହ କନ୍ଦର ଦର୍ଶନ ।

 

ପର୍ବତରେ ଅସଂଖ୍ୟ ଖୋଲ। ବିବିଧ ତରୁ-ଲତା । ରୁଢ଼ିଆ କୁବ୍ଜତରୁ । ଶଙ୍ଖମଲ- ମସୃଣ ଅଶ୍ୱବର୍ଣ୍ଣ ଲତା, ଅସଂଖ୍ୟ ପ୍ରକାର fern, କଦଳୀ, ଧନ୍ୱନ୍ତରି, ଶିକୁଳା, ଅଠିଳ । ପର୍ବତରେ ଅନେକ ନିର୍ଝର । ଅଭ୍ରଯୁକ୍ତ ପ୍ରସ୍ତର । ନାନାପ୍ରକାର ଅଜାନିତ ସୁଦୃଶ୍ୟ ପୁଷ୍ପ ।

 

ଅନେକ ସ୍ଥାନରେ ବିଶାଳ ପ୍ରସ୍ତର ବଜ୍ରଦ୍ୱାରା ଅଥବା ଜଳ ଏବଂ ଉତ୍ତାପର କ୍ରିୟାଦ୍ୱାରା ବିଦୀର୍ଣ୍ଣ ହୋଇ ସୁଡ଼ଙ୍ଗବତ୍‌ ନିମ୍ନକୁ ଯାଇଅଛି । ଏହି ଦୁରବରୋହ ନୈସର୍ଗିକ ସୁଡ଼ଙ୍ଗମାନଙ୍କରେ ପ୍ରବେଶ କଲେ ସୂର୍ଯ୍ୟାଲୋକ ସହିତ କୌଣସି ସମ୍ପର୍କ ନଥାଏ ।

 

ଉପରେ କେବଳ ଠେକୁଆ, ସମ୍ବରର କଦାଚିତ୍ ସଞ୍ଚାର ଦେଖାଯାଏ । ସ୍ଥାନେ ସ୍ଥାନେ ଗିରିନିର୍ଝର ଦରୀ ମଧ୍ୟରେ ଝର୍ଝର ଶବ୍ଦରେ ଶିଳାରୁ ଲମ୍ଫ ଦେଇ କ୍ଷୁଦ୍ର କ୍ଷୁଦ୍ର ପ୍ରପାତ ଉପଜାତ କରି ଅଧୋଦେଶକୁ ଯାଇଅଛି । ଏହି ନିର୍ଝରମାନଙ୍କ ପାର୍ଶ୍ୱଦେଶ ବନ୍ୟ ଖର୍ଜୁର, ଧନ୍ୱନ୍ତରି ଓ ଅନ୍ୟାନ୍ୟ ତୃଣ ଦ୍ୱାରା ଶ୍ୟାମଳ ।

 

ଗଙ୍ଗାପ୍ରପାତାନ୍ତିବିରୂଢ଼ଶଷ୍ପଂ

ଗୌରୀଗୁରୋର୍ଗହ୍ୱରମାବିବେଶ ।

ଧୂମୋଦ୍‌ଗିରାନୁକୃତିନିପୁଣଃ & c. &.c.I ।

 

ଡିମ୍ବୁରି, ଧର୍ମଦ୍ୱାର, ପ୍ରାକୃତିକ ଗୁମ୍ଫା, ଅଠିଳଗଛ, ମାର୍ଗରେ ପ୍ରପାତ ଏବଂ ଝରଣା, ବିରାଟ ବରାହଘୋଣାକୃତି ବିଶାଳ ପାଷାଣଖଣ୍ଡ, ବଂଶ-ବନ, ଶାଳ, କେନ୍ଦୁ, ପିୟାଳ, ଅଶନାଦି ବୃକ୍ଷ, ଶିଆଳିଲତା, ବନ୍ୟଖର୍ଜୁର, ମୁଚୁକୁନ୍ଦ, ଅଠିଳ, ମହୁଲ, ମାଳତୀ, ମାଧବୀ।

 

ବାମଣ୍ଡା ରାଜ୍ୟର ଚୁଳିଆ ପ୍ରଭୃତି ପର୍ବତ, ବ୍ରାହ୍ମୀ ନଦୀ, କେନ୍ଦୁଝରର ଗନ୍ଧମାଦନ, ଗୋନାସିକା, ତାଳଚେରର ବାରୁଆଁ, ଢେଙ୍କାନାଳର ପଳାଶୁନି ବିଷର ପର୍ବତମାଳା, ଅନୁଗୁଳର ପର୍ବତମାଳା, ବଣେଇ ପର୍ବତମାଳା, ସିଂହଭୂମି ।

 

ଅଶୋକ, ନାଗେଶ୍ୱର, ଚମ୍ପକନିକୁଞ୍ଜପୂର୍ଣ୍ଣ ପାବୁଡ଼ି ଦେଶର ଶୈଳମାଳା, ରାଜା ଗଣେଶ୍ୱରଙ୍କ ନବାବିଷ୍କୃତ ଗିରିମାର୍ଗ, ରାଜର୍ଷି ମୁନିପାଳଙ୍କର ଯାଗାଦିରେ ପୂତ ସ୍ଥଳୀ ।

 

ଶୀତର ଆଧିକ୍ୟ, ଶୀତଳ ବାୟୁର ନିୟତ ସଞ୍ଚାର। ବ୍ୟାଘ୍ର ଉଲ୍ଲୁକାଦିର ଅଭାବ, ସର୍ପାଦିର ଅଭାବ, ପକ୍ଷୀର ବିରଳସଞ୍ଚାର। କେବଳ ଟିପିର ଟୁଇ ଟୁଇ ସମୟସମୟରେ ଶ୍ରୁତ ହୁଏ। ଶମ୍ବର, ଶଶକାଦିର କଦାଚିତ୍‌ ଦର୍ଶନଲାଭ, କୋଟରାର ସ୍ୱର।

 

ପାହାଡ଼ିଆ ବିଛା । ଶିକୁଳ, ପନସ, ଖର୍ଜୁର, ନିମ୍ନରେ ଆଚକ୍ରବାଳସଜ୍ଜୀଭୂତ ମେଘସ୍ତର ।

 

ବାବାଜୀ-ଗୁମ୍ଫା । ସେଥିର ସମ୍ମୁଖସ୍ଥ ବିରାଟ ଶିକୁଳ ।

 

ଟିପି, ଶ୍ୟେଣ, ଗୋବରା, ଏଣ୍ଡୁଅ, ଛୁଛୁନ୍ଦରା। ସିଆଡ଼ିଫଳ। ଗୁଣ୍ଡିଚିର ସତ୍ତା ନାହିଁ ।

 

ବସନ୍ତ-ମାତ୍ର ଏଠାରେ ଅଶୋକ, ଶାଳ୍ମଳୀ, ପଳାଶ, ପାଳଧୁଆ, ଧାତକୀ, କଞ୍ଚନ ପ୍ରଭୃତିର ନାମ ନାହିଁ । କୋକିଳ, ପାପିଆ, ଚଷାପୁଅ, ନଦୀକୂଳବନ୍ଧୁ, ଶ୍ୟାମା, ଶାରୀ, ଦୟାଳୁର ସ୍ୱର ନାହିଁ । କାକ, କକ୍କୁଟ, କୁମ୍ଭାଟୁଆ ପ୍ରଭୃତି ପ୍ରଭାତ ବୈତାଳିକମାନେ ଏଠାରେ ଅପରିଚିତ।

 

ନିମ୍ନ ପ୍ରଦେଶରେ ଖରା, ଉପରେ ମେଘ। ବୃଷ୍ଟି ହୋଇ ନିମ୍ନ ପ୍ରଦେଶରେ ବନ୍ଧ ପରିପୂର୍ଣ୍ଣ ହୋଇ ସେଥିରେ ସୂର୍ଯ୍ୟକିରଣ ପ୍ରତିଫଳିତ ହେବାରୁ ନୀଳଗିରି ଏବଂ ବନାଳିରେ ଖଣ୍ଡିଏ ଦର୍ପଣ ପରି ଦିଶୁଅଛି । ବଜ୍ରଦ୍ୱାରା ଗିରିଚୁଡ଼ାସ୍ଥ ବିଶାଳ ପାଷାଣ ଖଣ୍ଡ ଖଣ୍ଡ ହୋଇ ଇତସ୍ତତଃ ବିକ୍ଷିପ୍ତ ।

 

ରାତ୍ରରେ ଚତୁର୍ଦିଗରେ ଦାବାନଳର ଶୋଭା । ପାଷାଣରୁକ୍ଷ ଏବଂ ଉଦ୍ଭିଦଶ୍ୟାମଳା । ଶଷ୍କ ପତ୍ର ଏବଂ ଶୁଷ୍କ ଉଦ୍ଭିଦ। ଦାବାନଳଦଗ୍‌ଧ ।

 

ଅଧୋଦେଶରେ ସଜ୍ଜିତ ମେଘବୃନ୍ଦ। ଆଚକ୍ରବାଳବ୍ୟାପୀ କ୍ଷୀରାର୍ଣ୍ଣବର ଲହରୀମାଳା ନିସ୍ପନ୍ଦତା ଭଜିରହିଥିବା ପ୍ରାୟ । ଆଚକ୍ରବାଳ-ବ୍ୟାପୀ କୋଟି କୋଟି ପିଞ୍ଜା ତୁଳା ଧାଡ଼ି ଧାଡ଼ି ହୋଇ ରହିଅଛି । ଏହି ମେଘର ଅଧୋବର୍ତ୍ତୀ ଦେଶରେ ବର୍ଷା କିମ୍ବା ଆକାଶ ମେଘାଚ୍ଛନ୍ନ । ଆମ୍ଭେମାନେ ଆତପବାନ୍ ଶୃଙ୍ଗରେ ଆସୀନ ।

 

ଏ ମହାରଣ୍ୟରେ ପ୍ରାଣୀର ସଞ୍ଚାର କିମ୍ବା ଶବ୍ଦ ପ୍ରାୟ ଦେଖା ଶୁଣା ଯାଏନାହିଁ । ଦୂରଦର୍ଶୀ ଗୃଧ୍ର ଥରେ ଗୋଟିଏ ତୁଙ୍ଗ ପାଷାଣସ୍ତୂପରେ କିଛିକ୍ଷଣ ବସି ଚତୁର୍ଦିଗକୁ ଚାହିଁ ପୂର୍ବଦିଗକୁ ଉଡ଼ିଗଲା । ରାମଙ୍କ ବାନରବୀରମାନଙ୍କର କାବେରୀବଳୟ ମଳୟରେ ଆକାଶରୁ ସମ୍ପାତିର ଅବତରଣ ସ୍ମାରକ ।

 

ଗଣେଶ୍ୱର, ତୁମ୍ଭ ରାଜ୍ୟରେ ଜଳଧିଧ୍ୱାନପ୍ରତିନାଦିତ ଜଗନ୍ନାଥ ଦେଉଳ, ସୂର୍ଯ୍ୟ ଦେଉଳ କିମ୍ବା ଭୁବେନଶ୍ୱର ଦେଉଳ ନାହିଁ। ମାତ୍ର ତୁମ୍ଭ ରାଜ୍ୟରେ ଯେଉଁ ମହା ଦେଉଳ ଅଛି, ତାହା ଶିଶୁ ହିମାଳୟ ପରି। ତାହାର ତୁଳନା ସମଗ୍ର ଓଡ଼ିଶାରେ ଅନ୍ୟତ୍ର ନାହିଁ। ଶୀତଳ ସମୀର ଏ ଦେଉଳର ଚାମରବାହକ। ମେଘଦଳ ପରିଚାରକ। କାଂସ ଘଣ୍ଟାଦିର ଶବ୍ଦ ଏଠାରେ ନାହିଁ ସତ୍ୟ, ମାତ୍ରକୋଟି ବିଶ୍ୱବ୍ୟାପୀ ଓଁକାର ଧ୍ୱନି ଏ ମନ୍ଦିରରୁ ସ୍ୱତଃ ଏ ମନ୍ଦିରରୁ ସ୍ୱତଃ ଉଚ୍ଚାରିତ ହେଉଅଛି।

 

ତୁ ମାଲ୍ୟଗିରି ସଙ୍ଗୀତମୟୀ । ତୋହର ପାଦଦେଶରେ ମଧୁରଗାୟକ ବିହଙ୍ଗ ସଙ୍ଗୀତ-। ମେଖଳାରେ ପ୍ରପାତ ଏବଂ ନିର୍ଝରର ସଙ୍ଗୀତ ପ୍ରସ୍ତରକୋଟରେ ମଧୁଚକ୍ରରେ ମଧୁକରର ଗୁଞ୍ଜନ-। ଶିଖରରେ ଚିର ନିସ୍ତବ୍‌ଧତାର ଗଭୀର ସଙ୍ଗୀତ, ଯାହା କେବେ କେବେ ଝଞ୍ଜା ପବନରେ ସ୍ୱନ କଦାଚିତ୍ ଝିଲ୍ଲିକାଦ୍ୱାରା ଭଗ୍ନହୋଇଥାଏ ।

 

ଏଠାରେ ଆଧ୍ୟାତ୍ମିକ ବାୟୁମଣ୍ଡଳ ଅତି ନିର୍ମଳ । ସଂସାରର ତାମସ ଏବଂ ରାଜସ ଚିନ୍ତାର ଘାତପ୍ରତିଘାତଦ୍ୱାରା ଅନବରତ ସ୍ପନ୍ଦନଦ୍ୱାରା ଏଠାରେ ବାୟୁମଣ୍ଡଳ କଳୁଷିତ କିମ୍ବା କ୍ଷୁବ୍‌ଧ ହେଉନାହିଁ । ଏଠାରେ ସ୍ୱଭାବତଃ ହୃଦୟସତ୍ୱପ୍ରବଣ ଏବଂ ପରାତ୍‌ପର ସତ୍ୟପ୍ରବଣ ହୁଏ । ପାଷାଣ କାହିଁ ଲମ୍ବ, କାହିଁ ଦଣ୍ଡବତ୍‌, କାହିଁ ତେରେଚ୍ଛା । ଶୁଷ୍କ ଶୈବାଳସ୍ତରେ ରୁକ୍ଷ ଶୁକ୍ଳା ।

 

ଶାସ୍ତ୍ରେ ନ ଥିଲେହେଁ ତୋ ନାମକରଣ,

ତୁହି ମାଲ୍ୟଗିରି ତୀର୍ଥ ସନାତନ।

 

ନରସଂସ୍ଥାପିତ କେତେ ତୀର୍ଥ ଭୂଇଁ କେତେ ଅସ୍ତମିତ କେତେ ଅସ୍ତୋନ୍ମୁଖ । ମାତ୍ରକୁ ଚିରଦିନ ସମାନ । ମର ନରର ସ୍ଥାପିତ ତୀର୍ଥ ମର ହେବ ଆଶ୍ଚର୍ଯ୍ୟ କି? କାହିଁ ଆଜି କୋଣାର୍କ? ବୈଦେହୀଶବିଳାସର ବକର ଉକ୍ତିର ଉଲ୍ଲେଖ । ମାଲ୍ୟଗିରି ଅବରୋହଣ ।

 

କି ଭୀଷଣ ବିରାଟ ବିଶୃଙ୍ଖଳ।

ଖଣ୍ଡ ବିଖଣ୍ଡ ପଥର

ବଜ୍ରାଘାତେ ପୁଣି ବିଶୃଙ୍ଖଳତର।

 

ମହାରାଜ ଶମ୍ବର ହରିଣ ପରି ଲଘୁପତି । କର୍ଣ୍ଣ ପରି କଷ୍ଟସହ ଏବଂ ଧୈର୍ଯ୍ୟଶୀଳ । ଖଣ୍ଡଶଃ ବିକ୍ଷିପ୍ତ ଶୁଷ୍କ ଶିଉଳିଆବୃତ ରୁକ୍ଷ ଶ୍ୱେତ ପାଷାଣପୁଞ୍ଜ, ଶୁଷ୍କପତ୍ର, ଶୁଷ୍କ, ଦଗ୍‌ଧ, କଞ୍ଚା, ପରସ୍ପର ଛନ୍ଦାଛନ୍ଦି, ମିଶାମିଶି, ବୃକ୍ଷଗୁଳ୍ମଲତାଦି, ଶାଳ, ମହୁଲ, ପିଆଶାଳ, ଧଅ, ଅଶନ, ଶିଂଶପା, ରାଜମହୀ, ବଂଶ, ଭାଣ୍ଡୀର, କୁମ୍ଭି, ପିଆଳ, କୁସୁମ, ଶିଆଳି, ଧନ୍ୱନ୍ତରି, ferns, ଶିକୁଳ, ତମାଳ, ନାଗକେଶର, ଶେଫାଳିକା, ଅଠିଳ, କେନ୍ଦୁ। ବଂଶକୁଞ୍ଜ, ପ୍ରପାତ, ବଂଶକୁଞ୍ଜ ବିଶେଷତଃ ବିଶେଷତଃ ମେଖଳରେ ।

 

ବଡ଼ ବଡ଼ ଶୃଙ୍ଗ ତଳେ ଆକାଶରେ ଦୃଷ୍ଟିରେଖାର ସୀମାସ୍ତମ୍ଭରୂପେ ଉଭା, କିଛିଦୂର ଗଲେ ତା ତଳେ ଶୃଙ୍ଗ ତା ତଳେ ଶୃଙ୍ଗ । ପର୍ବତର ଏକ ଏକ ଖଣ୍ଡ ପାଷାଣ ଅନ୍ୟ ପର୍ବତର ଅବୟବ । ସାନୁ, ଖାଲ, କନ୍ଦର, ଦରୀ, ଫାଟକ ଗମ୍ଭର, ବଜ୍ରରେ ବଜ୍ରଧାରଣ, ଏ ପର୍ବତରେ ଅସଂଖ୍ୟ ଗୁହା, ଗମ୍ଭର, ଦରୀ ପ୍ରତିବର୍ଷ ପ୍ରସ୍ତୁତ କରାଉଅଛନ୍ତି । କେଉଁଠାରେ ବାଧାଯୁକ୍ତ କରି ଦେଉଅଛନ୍ତି ।

 

ଶିଆଳୀ ପାନ୍ଥବାନ୍ଧବୀ

ବିଶାଳ ଦୃଶ୍ୟରାଜି ସମ୍ମୁଖରେ, ପୁଣି ଅବରୋହଣ କଲେ ଅବରୁଦ୍ଧ । ରାଜକଉଚିଆ, ମେଖଳରେ ସୌରକରାଲୋକିତ ଭୟଙ୍କର ଉତ୍ତୁଙ୍ଗ ଭୃଗୁ, ଚାହିଁଲେ ବେକଷଣ୍ଡା ଭାଙ୍ଗିପଡ଼େ, ଭୁଜଗବତ୍‌ଗାମୀ ଗିରିବର୍ତ୍ତ୍ମ, ଲତାବିଜଡ଼ିତ ବୃହତ୍ ପାଷାଣ, ଖସିପଡ଼ିବାର ଶଙ୍କା ସୃଷ୍ଟିକାଳଜନ୍ମା, ସେହିରୂପ ତିର୍ଯ୍ୟକ୍‌ରେ ଉଭା ହୋଇ ରହିଅଛି ।

 

କୁହେଳିର ପ୍ରାବଲ୍ୟ

ଗିରିପାଦଦେଶରେ ଅନେକ ଧଅ ବୃକ୍ଷ, ବଂଶକୁଞ୍ଜ, ପୁଷ୍ପିତ ଶାଳାଦି । ୨-୩ ଘଣ୍ଟା ମଧ୍ୟରେ ଶୀତର ନିସ୍ତବ୍‌ଧତାରୁ ଚାତକ ଆର୍ତ୍ତସ୍ୱନ । ଗୁରୁଣ୍ଡି, ହାମୋଡ଼ି, ବସି, ଖସି, ଗଡ଼ି କରଣେ ଶିଳାରେ ତେରଛରେ ଖସି । ଏବେ ଶିମୁଳି, ପାଟଳୀ, ପଳାଶ, ଧାତକୀ, ତିଳକ ପ୍ରଭୃତିର ଶୋଭା । କୋକିଳର ରାବ । ଶିଖରରେ ଏ ରୂପ ଏ ସ୍ୱର ନାହିଁ । ସୁଗନ୍ଧ ଦବଳ ପୁଷ୍ପଯୁକ୍ତ ଅମୃତଫଳପ୍ରସ ଘୁରୁଡୁ ଉପରେ ନାହିଁ । ଆମ୍ର ପ୍ରଭୃତି ବୃକ୍ଷ ପର୍ବଶିଖରରେ ନାହିଁ।

 

କେନ୍ଦୁ ଅଛି, ମାତ୍ର ୩ ଘଣ୍ଟା ପରେ ଲାବଣ୍ୟବତୀକରୋପମ ପଲ୍ଲବଧାରୀ କେନ୍ଦୁ ଦେଖିଲି । ମାଲ୍ୟଗିରି ଶୃଙ୍ଗରେ ସେ କେନ୍ଦୁ ଯେ ନିତାନ୍ତ ବିଳାସବାସନାବର୍ଜିତ । ଫଳତଃ ମାଲ୍ୟଗିରି ଦୁର୍ଗା ପ୍ରତିମା ପଞ୍ଜର ପରି ।

 

ତ୍ତମଶ୍ଳୋକର ପୁଣ୍ୟ ସଂକୀର୍ତ୍ତନ

କରିବାକୁ ଏହି ଗିରି ସେ ଭାଜନ।

ଏ ସଂକୀର୍ତ୍ତନରେ କେବଳ ପାର୍ଥିବ ଭୂତଗ୍ରାମ ଯୋଗେ ଦେବେ ନାହିଁ। ମେଘଦଳ ଏହାର ମାର୍ଦ୍ଦଳିକ, ତାରା ନକ୍ଷତ୍ର ଏହାର ମଶାଲଚି । ଦେବଦଳ ଏବଂ ଅପ୍‌ସରାମାନେ ଏଥିରେ ଯୋଗ ଦିଅନ୍ତି। ସ୍ୱୟଂ ବ୍ୟୋମକେଶ ଏବଂ ଗୌରୀ ଏଥିରେ ତାଣ୍ଡବ ନୃତ୍ୟ କରନ୍ତି ।

ପୁଷ୍ପିତ ତିଳକର କି ଅପୂର୍ବ ଶୁଭ୍ର ଶୋଭା । ପ୍ରକୃତିର ଝୁଟା । ଶିଖରରେ ପୀତ ପକ୍ୱ ପର୍ଣ୍ଣ, ପାଦରେ ତାମ୍ର କିଶଳୟ, କିମ୍ବା ଶୁଭ୍ର ଶାଳ, ତିଳକ, ରଙ୍ଗବର୍ଣ୍ଣ ଧାତକୀ ଭୂଆଁପୀଢ଼ ପାବୁଡ଼ି ଦେଶ ପ୍ରଭୃତିର ବଡ଼ ବଡ଼ ଶୈଳ ହିଡ଼ପରି ମାଲ୍ୟଗିରି ଶିଖରରୁ ଦିଶେ ।

ଗଜଫିକାର । ରୁକ୍ଷ ତୀକ୍ଷ ଗୋଜ – crag, ନାଗକେଶର ବନ ବସନ୍ତରେ ପୁଷ୍ପିତ ପୁଷ୍ପ- ନାଗକେଶର, ଘୁରୁଡୁ, ଧାତକୀ, ପଳାଶ, ଶାଳ୍ମଳୀ, ତିଳକ।

ମାଲ୍ୟଗିରି- ମହାଭାରତ ପରି। ଯାହା ଭାରତରେ ନାହିଁ, ତାହା ଭାରତରେ ନାହିଁ। ଯାହା ମାଲ୍ୟଗିରିରେ ନାହିଁ, ତାହା ଓଡ଼ିଶାରେ ନାହିଁ ।

ମାଲ୍ୟଗିରିରୁ ଦୃଷ୍ଟ ପର୍ବତମାଳା

ଭୂଆଁପୀଢ଼, ଗୋନାସିକା, ଗନ୍ଧମାଦନ, ଚୁଳିଆ, ବାରୁଆଁ, ପାବୁଡ଼ିଦେଶ ପର୍ବତ, କୋଇଦନ୍ତା, ଆଉ ସହସ୍ର ସହସ୍ର ପର୍ବତ ମାଲ୍ୟଗିରି ଦେଖେ, ମାତ୍ର ସେମାନଙ୍କୁ ଜାଣେ ନାହିଁ। ମାତ୍ର ସେମାନେ ଅବଶ୍ୟ ମାଲ୍ୟଗିରିକୁ ଜାଣନ୍ତି ।

 

ଅନ୍ୟାନ୍ୟ ରାଜ୍ୟର ବନ, ଉପବନ, ରକ୍ଷିଣୀବନ ମାଲ୍ୟଗିରି ତୁଳନାରେ ନଗଣ୍ୟ, ଯେମନ୍ତ ଅନ୍ୟାନ୍ୟ କାବ୍ୟନାଟକାଦି ବ୍ୟାସ, ବାଲ୍ମୀକିଙ୍କ କୀର୍ତ୍ତି ତୁଳନାରେ କ୍ଷୁଦ୍ର ।

 

ଅସହ୍ୟ ଅସହ୍ୟ ଯଥା ଖରା ମେଘୁଆ ।

 

ପୋକରା- insect-eaten

 

ମାଲ୍ୟଗିରୀଶ୍ୱର ଆହେ ଶ୍ରୀଗଣେଶ୍ୱର ।

 

କୁସୁମଗଛର ପତ୍ର ବସନ୍ତରେ ରକ୍ତବର୍ଣ୍ଣ ଦିଶେ । ଯେ ସମୟରେ ପଳାଶ ଫୁଟେ ଏବଂ ଘୁରୁଡ଼ୁତିଳକ ଫୁଟେ ସେହି ସମୟରେ । ଧାତକୀ, ପ୍ରପାତ, ପ୍ରସ୍ରବଣ, ପଲ୍ଲୋଳ, ନାଗେଶ୍ୱର, ବେତ, ଚମ୍ପା, ଅଠିଳ, ମୁଚୁକୁନ୍ଦ, ଅଶୋକ, ଶେଫାଳି, କେତକୀ, ରାଇ ।

 

ମାଲ୍ୟଗିରି ତୁ ଉତ୍କଳର ସାରସଂଗ୍ରହ । ମାଲ୍ୟଗିରିରରେ ଯାହା ନାହିଁ, ଉତ୍କଳରେ ତାହା ନାହିଁ। ଠେକୁଆ, କୁରଙ୍ଗ, ହରିଣ, ଊଷ୍ୟ, ଗବୟ, ଘଡ଼ିଙ୍ଗ, ବରାହ, ଉଲ୍ଲୁକ, ବୃକ, ଶାର୍ଦ୍ଦୁଳ, ଶମ୍ବର, ହସ୍ତୀ ।

 

ବଂଶକରୀର, କଠା, ଖଜିରକନ୍ଦା, ପ୍ରସନ୍ନସଲିଳା ଯେହ୍ନେ ଅଳକାନନ୍ଦା। ନାହିଁ ଏ ଅଚଳେ ଯାହା ନାହିଁ ଉତ୍କଳେ, ବିଭବ ଏହାର ସଦାବଚନ ବଳେ । ବାମଣ୍ଡା ପ୍ରଦେଶ। ଭକ୍ତବନ୍ଧୁ ବାବୁଙ୍କ ଆତିଥେୟତା । କୁମୁଦବାବୁଙ୍କ ଯତ୍ନ ।